ମାର୍ଚ୍ଚ ୨୦୧୮ ସୁଦ୍ଧା ରାଜ୍ୟର ସମସ୍ତ ଉପ-ଡାକଘରର କମ୍ପ୍ୟୁଟରୀକରଣ ଲକ୍ଷ୍ୟ। ଡାକଘର ମାଧ୍ୟମରେ ପାଣି ବିଲ୍, ବିଦ୍ୟୁତ୍ ବିଲ୍, ହୋଲ୍ଡିଂ ଟାକ୍ସ ଏପରିକି ରେଳଟିକେଟ ବୁକିଂ ଭଳି ବ୍ୟବସ୍ଥାର ପ୍ରଚଳନ। ଡିଜିଟାଲ୍ ଓ ମୋବାଇଲ୍ ଟେକ୍ନୋଲଜି ପ୍ରୟୋଗକରି ଡାକସେବାକୁ ସମୟୋପଯୋଗୀ ଏବଂ ଗ୍ରାହକ-ଅନୁକୂଳ କରିବା ପାଇଁ ବ୍ୟାପକ ଉଦ୍ୟମ ଜାରି।…ରାଜ୍ୟରେ ଡାକସେବା କ୍ଷେତ୍ରରେ ଏକ ଆନ୍ଦୋଳନ ପାଇଁ ଉଦ୍ୟମ ଆରମ୍ଭ କରିଥିବା ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ୍ ଡକ୍ଟର ସନ୍ତୋଷ କୁମାର କମିଲାଙ୍କ ସହ ଓଡ଼ିଶାଲାଇଭ୍ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ବିଶେଷ ସାକ୍ଷାତକାର।
ଅନେକ ବର୍ଷ ପରେ ଓଡ଼ିଶା ସର୍କଲ୍ର ମୁଖ୍ୟ ହିସାବରେ ଜଣେ ଓଡ଼ିଆ ଭାବରେ ଆପଣ ଯୋଗ ଦେଇଛନ୍ତି। ସେଥିପାଇଁ ଓଡ଼ିଶାଲାଇଭ୍ ପକ୍ଷରୁ ଅଭିନନ୍ଦନ। ଓଡ଼ିଶା ସର୍କଲ୍କୁ ଏକ ନୂଆ ରୂପ ଦେବା ସହ ଏହାକୁ ଅଧିକ ଲୋକଙ୍କ ସହିତ ଯୋଡ଼ିବା ପାଇଁ ଆପଣଙ୍କର କି ଯୋଜନା ରହିଛି?
ଧନ୍ୟବାଦ। ହଁ, ୧୯ ବର୍ଷ ପରେ ଓଡ଼ିଶା ସର୍କଲ୍ର ମୁଖ୍ୟ ମହାଡାକପାଳ ଭାବେ ମୁଁ ଦାୟିତ୍ୱ ନେଇଛି। ବିମୁଦ୍ରାକରଣ ସମୟରେ ପୋଷ୍ଟ ଅଫିସ୍ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା। ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର ସବୁ ବିଭାଗୀୟ ପୋଷ୍ଟ ଅଫିସ୍ରେ ଆମେ ପୁରୁଣା ନୋଟ୍ ବଦଳ କରିବା ସହ ସବୁ ଉପ-ଡାକଘର ସ୍ତରରେ ପୁରୁଣା ନୋଟ୍ ଜମା ନେବା ଦାୟିତ୍ୱ ତୁଲାଇଥିଲୁ। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଡାକଘର ମାଧ୍ୟମରେ ଏହି ଅତ୍ୟାବଶ୍ୟକ ସେବା ଯୋଗାଇଦେବା ବେଳେ ଆମକୁ ଲୋକଙ୍କର ଅତି ନିକଟତର ହେବାର ସୁଯୋଗ ମିଳିଛି। ଓଡ଼ିଶା ସର୍କଲର ଏହି କାମକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେତେବେଳେ ପ୍ରଶଂସା କରିଥିଲେ।
ଅନେକ ସମୟରେ ଡାକ ବିଭାଗର ନେତୃତ୍ୱ ଓଡ଼ିଶାର ପାଣି-ପବନ ଓ ସଂସ୍କୃତି ସହ ଯୋଡ଼ିହୋଇ ପାରୁନଥିବା କାରଣରୁ ଡାକସେବା କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ ଉନ୍ନତି କରିପାରୁନଥିବା ପ୍ରସଙ୍ଗ ଉଠେ। ଜଣେ ଓଡ଼ିଆ ହିସାବରେ ଆପଣ ବର୍ତ୍ତମାନ କିଭଳି ଏହି ଗୁରୁ ଦାୟିତ୍ୱକୁ ତୁଲାଇବା ପାଇଁ ରୋଡ୍ମ୍ୟାପ୍ କରିଛନ୍ତି?
ଓଡ଼ିଶାରେ ମୁଁ ବହୁତ ବର୍ଷ ଧରି କାମ କରିଛି। ପୂର୍ବରୁ ମୁଁ ବ୍ରହ୍ମପୁର ମଣ୍ଡଳ ମୁଖ୍ୟ ହିସାବରେ କାମ କରିଥିଲି। ଯେତେବେଳେ ମୁଁ ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ୍ ଭାବେ ଏହି ଦାୟିତ୍ୱ ନେଲି, ମୁଁ ପ୍ରଥମେ ଚାହିଁଲି କିଭଳି ଗ୍ରାହକମାନଙ୍କୁ ସେବା ଦେବା କ୍ଷେତ୍ରରେ ବିଶେଷ ଉନ୍ନତି ଆସିପାରିବ। ସାଧାରଣତଃ ପୋଷ୍ଟମ୍ୟାନ୍ ଭାଇଭଉଣୀମାନେ ଲୋକଙ୍କର ପ୍ରିୟ ଏବଂ ଭରସାଯୋଗ୍ୟ। ତେଣୁ ସେମାନଙ୍କ ମାଧ୍ୟମରେ କିଭଳି ଲୋକମାନଙ୍କୁ ଅଧିକ ସେବା ଯୋଗାଇ ଦିଆଯାଇପାରିବ, ସେକଥା ଚିନ୍ତା କରି ଆମେ ନୂଆ ନୂଆ ପଦକ୍ଷେପ ଆରମ୍ଭ କରିଛୁ। ଯେପରିକି ଆଜି ଜଣେ ଗ୍ରାହକ ଚିଠିଟିଏ ପକାଇବା ପାଇଁ ବା ରେଜିଷ୍ଟ୍ରି କରିବା ପାଇଁ ଡାକଘରକୁ ଆସିବା ଆବଶ୍ୟକ ନାହିଁ।
ଜଣେ ପୋଷ୍ଟମ୍ୟାନ୍ ଯେତେବେଳେ ବିଭିନ୍ନ ସେବା ଦେବାପାଇଁ ସଂପୃକ୍ତ ଅଞ୍ଚଳକୁ ଯାଉଛନ୍ତି, ସେତେବେଳେ ସେ ଆପଣମାନଙ୍କଠାରୁ ସାଧାରଣ ଚିଠି, ରେଜିଷ୍ଟର୍ଡ ଲେଟର ବା ସ୍ପିଡ ପୋଷ୍ଟ ଆଦି ଆର୍ଟିକିଲ୍ ଆଣି ଡାକଘର ମାଧ୍ୟମରେ ତାହା ପଠାଇବା ସହ ପରବର୍ତ୍ତୀ ଗସ୍ତ ବେଳେ ସେ ବାବଦରେ ରସିଦ୍ ଦେଇପାରିବେ। ଏହି ଗ୍ରାହକଙ୍କ ଦୁଆର ମୁହଁରେ ସେବା ପହଞ୍ଚାଇବା କ୍ଷେତ୍ରରେ ଏ ହେଉଛି ଆମର ନୂଆ ପଦକ୍ଷେପ।
ଏହି ବ୍ୟବସ୍ଥାରେ ଡାକ ବିଭାଗକୁ କେତେ ଦୂର ସଫଳତା ମିଳିପାରିଛି?
ବେଶ୍ ଭଲ ସଫଳତା। ମୁଁ ଖୁସି ଯେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଶହ ଶହ ଚିଠି ଆମ ପୋଷ୍ଟମ୍ୟାନ ଭାଇମାନେ ଲୋକଙ୍କ ପାଖରୁ ଆଣୁଛନ୍ତି। ମୁଁ ଏଥିପାଇଁ ଗ୍ରାହକ ଏବଂ ଆମ ପୋଷ୍ଟମ୍ୟାନ ଭାଇଭଉଣୀମାନଙ୍କୁ ଧନ୍ୟବାଦ ଦେବି। ଆପଣଙ୍କ ୱେବ୍ ଚ୍ୟାନେଲ୍ ‘ଓଡ଼ିଶାଲାଇଭ୍’ ମାଧ୍ୟମରେ ମୁଁ ଓଡ଼ିଶାର ଭାଇଭଉଣୀ ଓ ଗ୍ରାହକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଏହି ସେବାର ବିଶେଷ ଫାଇଦା ନିଅନ୍ତୁ।
ଏଭଳି ଆଉ କ’ଣ ସବୁ ନୂଆ ପ୍ରକାର ସେବା ଆପଣ ଆରମ୍ଭ କରିଛନ୍ତି?
ହଁ, ଆମେ ଅନେକ ନୂଆ କଥା ଆରମ୍ଭ କରିଛୁ। ରାଜ୍ୟର ୯ଟି ପ୍ରମୁଖ ସହର (ଯେପରିକି ଭୁବନେଶ୍ୱର, ପୁରୀ, କଟକ, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର ଇତ୍ୟାଦି) ଯାହାକୁକି ‘ଅମୃତ ସିଟି’ ବୋଲି କୁହାଯାଉଛି, ସେଠାରେ ପାଣି ବିଲ୍ ଆମ ପୋଷ୍ଟମ୍ୟାନ୍ ଭାଇମାନେ ଘରେ ଘରେ ପହଞ୍ଚାଉଛନ୍ତି। ସେହିପରି ଗ୍ରାହକମାନେ ପୋଷ୍ଟ ଅଫିସ୍ କାଉଣ୍ଟରରେ ଏହି ବିଲ୍ ଜମା କରିପାରିବେ। କେବଳ ସେତିକି ନୁହେଁ, ଯେଉଁ ଗ୍ରାହକମାନେ ଚାହିଁବେ, ପୋଷ୍ଟମ୍ୟାନ୍ଙ୍କ ହାତରେ ମଧ୍ୟ ବିଲ୍ ଟଙ୍କା ଦେଇପାରିବେ। ସଂପୃକ୍ତ ପୋଷ୍ଟମ୍ୟାନ ଡାକଘରେ ତାହା ଜମାକରି ପରବର୍ତ୍ତୀ ସମୟରେ ଗ୍ରାହକଙ୍କୁ ଉଚିତ୍ ରସିଦ୍ ଦେଇପାରିବେ। ଆମେ ଏହିଭଳି ଭାବେ ଡୋର୍ ଷ୍ଟେପ୍ ସର୍ଭିସ୍କୁ ପ୍ରୋତ୍ସାହନ ଦେବାକୁ ଚାହୁଁଛୁ।
ତେବେ ଡାକଘର ମାଧ୍ୟମରେ ଇଲେକ୍ଟ୍ରିସିଟି ବିଲ୍ ମଧ୍ୟ ଜମା କରିହେବ?
ହଁ, ନିଶ୍ଚିତ। ସାଉଥ୍କୋ ଅଞ୍ଚଳରେ ଆମେ ଏହି ସେବା ଆରମ୍ଭ କରିଛୁ। ଆଜି ଜଣେ ଗ୍ରାହକ ଡାକଘର ମଧ୍ୟମରେ ବିଲ୍ ଜମା କଲେ ତାହା ସାଉଥ୍କୋ ଆକାଉଣ୍ଟରେ ଆପେ ଆପେ ଅପ୍ଡେଟ୍ ହୋଇଯିବ। ସାଉଥ୍କୋର ଏହି ସଫଳତା ପରେ ୱେସ୍କୋ ସହ ମଧ୍ୟ ଆମର ଚୁକ୍ତି ହୋଇସାରିଛି। ତେଣୁ ଆମେ ଏବେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ଗ୍ରାହକମାନଙ୍କ ବିଲ୍ ଡାକଘର ମାଧ୍ୟମରେ ନେଇପାରିବୁ। ଏହାକୁ ଲୋକପ୍ରିୟ କରିବା ପାଇଁ ଆମେ ଚେଷ୍ଟା କରୁଛୁ।
ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ଆମେ କେତେ ଶୀଘ୍ର ସେସୁ ଓ ନେସ୍କୋ ସହିତ ଏହି ଚୁକ୍ତି କରିପାରିବୁ ଏବଂ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଲୋକମାନେ କିଭଳି ନିକଟସ୍ଥ ଡାକଘରକୁ ଯାଇ ସେମାନଙ୍କର ବିଦ୍ୟୁତ୍ ବିଲ୍ ଜମା କରିପାରିବେ। ସେହିପରି ସହରାଞ୍ଚଳର ଜନସାଧାରଣ କିଭଳି ଡାକଘର ମାଧ୍ୟମରେ ହୋଲ୍ଡିଂ ଟାକ୍ସ ଜମା କରିପାରିବେ, ସେ ବାବଦରେ ମଧ୍ୟ ଆମେ ସେବା ଯୋଗାଇଦେବା ପାଇଁ ଉଦ୍ୟମ କରୁଛୁ। ଏଥିପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସହ କଥାବାର୍ତ୍ତା ଚାଲିଛି।
ଆଜିର ଡିଜିଟାଲ୍ ଏବଂ ଇ-କମର୍ସ ଦୁନିଆରେ ଯଦିଓ ଗ୍ରାହକମାନେ ଡାକଘର ଉପରେ ଅଧିକ ନିର୍ଭର କରୁନାହାନ୍ତି, ତେବେ ଏଭଳି କେତେକ ସମୟ ରହିଛି ଯେଉଁଠି ଆପଣଙ୍କ ବିଭାଗ ପ୍ରମୁଖ ଭୂମିକା ତୁଲାଇ ଆସୁଛି। ଏଇ ଯେମିତି ଧରନ୍ତୁ ପବିତ୍ର ରକ୍ଷାବନ୍ଧନ?
ହଁ, ରକ୍ଷାବନ୍ଧନ ଭାରତର ଏକ ବଡ଼ ସାମାଜିକ ଓ ସାଂସ୍କୃତିକ ପରମ୍ପରା। ଏହି ସମୟରେ ଭଉଣୀମାନେ ଦୂରଦୂରାନ୍ତରେ ଥିବା ସେମାନଙ୍କ ଭାଇମାନଙ୍କ ପାଖକୁ ରାକ୍ଷୀ ପଠାଇଥା’ନ୍ତି। ଏହି କ୍ଷେତ୍ରରେ ଡାକ ବିଭାଗ ଏକ ବଡ଼ ଭୂମିକା ନେଇଥାଏ। କେବଳ ଓଡ଼ିଶା ସର୍କଲ୍ରେ ଗତ ବର୍ଷ ଆମେ ଏଭଳି ୧ ଲକ୍ଷରୁ ଅଧିକ ଆର୍ଟିକିଲ୍ ହ୍ୟାଣ୍ଡେଲ୍ କରିଥିଲୁ। ଏବର୍ଷ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ।
ଚଳିତ ବର୍ଷ ଆମେ ରାକ୍ଷୀ ପାଇଁ ଏକ ସ୍ୱତନ୍ତ୍ର ଲଫାପା (ସ୍ପେସାଲ୍ କଭର୍) ପ୍ରଚଳନ କରିଛୁ। ଏହା ବେଶ୍ ଆକର୍ଷଣୀୟ ହୋଇଛି। କେବଳ ସେତିକି ନୁହେଁ, ଏହି ରାକ୍ଷୀ ଲଫାପାର ପରିବହନ ସମୟରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ମାତ୍ର ୫ ଟଙ୍କା ମୂଲ୍ୟରେ ଏକ ସ୍ୱତନ୍ତ୍ର ପଲିଥିନ୍ ପ୍ୟାକେଟ୍ (ଟିଅରପ୍ରୁଫ୍ ଏବଂ ୱାଟରପ୍ରୁଫ୍) ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହାର ସୁଯୋଗ ନେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।
ଆପଣଙ୍କର ଏକ ଫ୍ଲାଗ୍ସିପ୍ ସେବା ହେଉଛି ମିଡିଆପୋଷ୍ଟ। ଏ ବାବଦରେ କ’ଣ କହିବେ?
ମିଡିଆପୋଷ୍ଟ ଏଭଳି ଏକ ମାଧ୍ୟମ ଯାହା ଜରିଆରେ ଅଳ୍ପ ଖର୍ଚ୍ଚରେ କୌଣସି ଜନସ୍ୱାର୍ଥ ସୂଚନା ବା ବିଜ୍ଞାପନ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚିପାରିବ। ଆପଣ ଯେଉଁ ’ମେଘଦୂତ’ ପୋଷ୍ଟକାର୍ଡ ଦେଖୁଛନ୍ତି ଏହାର ମୂଲ୍ୟ ମାତ୍ର ୨୫ ପଇସା। ଏହାର ସାମନା ପଟରେ ଠିକଣାର ବାଁ ପଟ ସ୍ଥାନରେ ବିଜ୍ଞାପନ ଛପାଯାଇପାରିବ।
ସେହିପରି ଡାକଘର ସଞ୍ଚୟ ଖାତା ପଛ ପୃଷ୍ଠାରେ ମଧ୍ୟ ଆମେ ବିଜ୍ଞାପନ ଛାପିବାର ବ୍ୟବସ୍ଥା କରିଛୁ। ଏହାଛଡ଼ା ଆମ ପୋଷ୍ଟମ୍ୟାନ ଭାଇଭଉଣୀମାନଙ୍କ ଜରିଆରେ ଆମେ ବିଭିନ୍ନ ଫ୍ଲାୟରକୁ ‘ଡାଇରେକ୍ଟ ପୋଷ୍ଟ’ ଭାବେ ଲୋକଙ୍କ ଘରେ ପହଞ୍ଚାଉଛୁ। କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଏପରିକି ରାଜ୍ୟ ସରକାର ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ପ୍ରକାର ଯୋଜନା ଓ ସଫଳତା ସମ୍ପର୍କରେ ଏହା ମାଧ୍ୟମରେ ବିଜ୍ଞାପନ ଦେଉଛନ୍ତି। ରାଜ୍ୟର ବିଭିନ୍ନ କର୍ପୋରେଟ ହାଉସ୍ ଏବଂ ପ୍ରମୁଖ ଅନୁଷ୍ଠାନ ମଧ୍ୟ ଆମ ମିଡିଆ ପୋଷ୍ଟ ମାଧ୍ୟମରେ ବ୍ୟାପକ ବୁକିଂ କରି ସେମାନଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇପାରିବେ।
ନିକଟରେ ହୋଇଥିବା ୨୨ତମ ଏସିଆନ୍ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ସ ବେଳେ ଏକ ସ୍ପେସାଲ୍ କଭର ରିଲିଜ୍ ହୋଇଥିଲା। ଆପଣ କ୍ରୀଡ଼ା ସହ ମଧ୍ୟ ଯୋଡ଼ି ହେବାକୁ ଚାହିଁଛନ୍ତି।
ହଁ, ଏହି କ୍ରୀଡ଼ା କେବଳ ଓଡ଼ିଶା ନୁହେଁ, ଭାରତ ପାଇଁ ଏକ ଗୌରବର କଥା ଥିଲା। ଏହାର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଏକ ସ୍ପେସାଲ୍ କଭର ଉନ୍ମୋଚନ ହୋଇଥିଲା। ବିଶେଷକରି, ଡାକ ଟିକେଟ ସଂଗ୍ରହ କରୁଥିବା ଉତ୍ସାହୀ ବ୍ୟକ୍ତିଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଷୟ ହୋଇ ରହିବ।
ଲୋକଙ୍କୁ ଡାକ ବିଭାଗର ସେବା ସହ ସିଧାସଳଖ ଯୋଡ଼ିବା ପାଇଁ ’ମାଇଁ ଷ୍ଟାମ୍ପ’ ଏକ ଅଭିନବ କଥା। ଓଡ଼ିଶାରେ ଏ ବାବଦରେ ଲୋକଙ୍କର କିଭଳି ଉତ୍ସାହ ରହିଛି?
ମାଇଁ ଷ୍ଟାମ୍ପ ଏକ ପର୍ସନାଲାଇଜ୍ଡ୍ ସର୍ଭିସ୍ ଭଳି ବିଷୟ। ଅର୍ଥାତ୍ ଆପଣ ଯେ କୌଣସି ଜିନିଷକୁ ସ୍ମରଣୀୟ କରିବାକୁ ଚାହିଁଲେ, ଡାକ ଟିକେଟ ମାଧ୍ୟମରେ ତାହା କରିପାରିବେ। କାହାର ଜନ୍ମଦିନ ହେଉ ବା କୌଣସି ଅନୁଷ୍ଠାନର ପ୍ରତିଷ୍ଠା ଦିବସ; ଏପରିକି ଆପଣ ମଧ୍ୟ କାହାକୁ ଉପହାର ଆକାରରେ କିଛି ନୂଆ କଥା କରିବାକୁ ଚାହୁଁଛନ୍ତି। ମାଇଁ ଷ୍ଟାମ୍ପ ଜରିଆରେ ଏକ ମୂଳ ପୋଷ୍ଟେଜ ଷ୍ଟାମ୍ପ ସହ ଜଣେ ଗ୍ରାହକ ନିଜର ବା ପ୍ରିୟଜନଙ୍କର ଫଟୋ ବା ଅନୁଷ୍ଠାନର ଲୋଗୋ ଛପାଯାଇପାରିବ।
ଏହାକୁ ଆପଣମାନେ ସ୍ମରଣୀୟ ବସ୍ତୁହିସାବରେ ରଖିପାରିବେ ବା ଉପହାର ଦେଇପାରିବେ। ଏପରିକି ଏହି ଟିକେଟ୍କୁ ଚିଠି ପଠାଇବା ବେଳେ ଡାକଟିକେଟ ଆକାରରେ ବ୍ୟବହାର କରିପାରିବେ। ମାତ୍ର ୩୦୦ ଟଙ୍କାରେ ଆପଣଙ୍କୁ ଗୋଟିଏ ପୂରା ସିଟ୍ ମିଳିବ, ଯେଉଁଥିରେ ଥିବ ୧୨ଟି ଟିକେଟ୍।
ଆପଣ ଯେଉଁ ସ୍ପେସାଲ୍ କଭର କଥା କହୁଥିଲେ, ସେ ବାବଦରେ ଲୋକଙ୍କ ଭିତରେ କିଭଳି ଆଗ୍ରହ ଦେଖୁଛନ୍ତି?
ଦେଖନ୍ତୁ ସାଧାରଣତଃ ଅନୁଷ୍ଠାନମାନେ ବିଭିନ୍ନ ସ୍ମରଣୀୟ ଘଟଣା ବା ବିଷୟକୁ ଅଧିକ ସ୍ମରଣୀୟ କରିବା ପାଇଁ ଡାକ ବିଭାଗ ମାଧ୍ୟମରେ ’ସ୍ପେସାଲ୍ କଭର’ ରିଲିଜ୍ କରିପାରିବେ। ମୁଁ ଯେମିତି ଆପଣଙ୍କୁ ୨୨ତମ ଏସିଆନ୍ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ସ ବେଳେ ମୁଦ୍ରିତ ସ୍ପେସାଲ କଭର କଥା କହୁଥିଲି। ରେଭେନ୍ସା କଲେଜର ୧୫୦ତମ ପୂର୍ତ୍ତି ବେଳେ ମଧ୍ୟ ଏକ ସ୍ପେସାଲ୍ କଭର ହୋଇଥିଲା।
ଆପଣଙ୍କ ଓଡ଼ିଶାଲାଇଭ୍ ଅନୁଷ୍ଠାନ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ ବେଳେ ଏଭଳି ସ୍ପେସାଲ କଭର ଛପାଯାଇଛି। ଆଜି ଏସବୁ ଦେଶବିଦେଶରେ ଫିଲାଟେଲିଷ୍ଟଙ୍କ ପାଇଁ ସଂଗ୍ରହଣୀୟ ଓ ସ୍ମରଣୀୟ ବସ୍ତୁ ଭାବେ ସ୍ଥାନ ପାଇଛି। ତେଣୁ ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ କରିବାକୁ ଚାହିଁବି ଯେ ଅଧିକରୁ ଅଧିକ ସରକାରୀ ସଂଗଠନ, ସ୍କୁଲକଲେଜ ଏବଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଏଭଳି ସ୍ପେସାଲ କଭର ବାହାର କରିବା ପାଇଁ ଡାକ ବିଭାଗ ସହ ଯୋଗାଯୋଗ କରିପାରିବେ।
ବିଜୁ ପଟ୍ଟନାୟକଙ୍କ ଉପରେ ଡାକ ବିଭାଗ ପକ୍ଷରୁ ଏକ ନୂଆ ଟିକେଟ ପ୍ରକାଶ ପାଇବାର ଥିଲା। କ’ଣ ହେଲା?
ହଁ, ଏ ବାବଦରେ ଏକ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଛି ଏବଂ ତାହା ଅନୁମୋଦନ ଲାଭ କରିଛି। ବିଜୁ ପଟ୍ଟନାୟକଙ୍କ ଉପରେ ଆଗରୁ ଏକ ଡାକ ଟିକେଟ ବାହାରିଥିଲା। ଏହା ହେବ ଦ୍ୱିତୀୟ ଡାକ ଟିକେଟ୍। ସେହିପରି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଓଡ଼ିଆମାନଙ୍କ ପାଇଁ ଏକ ଗର୍ବର ବିଷୟ। ଏ ବାବଦରେ ଏକ ଡାକ ଟିକେଟ୍ ବାହାର କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ତାହା ଏବେ କେନ୍ଦ୍ରକୁ ଯାଇଛି।
ଆପଣଙ୍କର ଏକ ପ୍ରମୁଖ ସେବା ହେଉଛି ’ସ୍ପିଡ ପୋଷ୍ଟ’। ଆଜିର ପ୍ରତିଯୋଗିତାମୂଳକ କୋରିଅର ସେବା ଭିତରେ ଏବଂ ଡିଜିଟାଲ୍ ଯୋଗାଯୋଗର ଦୁନିଆ ଭିତରେ କେମିତି ଚାଲିଛି ସ୍ପିଡ ପୋଷ୍ଟ?
ସ୍ପିଡ ପୋଷ୍ଟ ଆମର ବିଭିନ୍ନ ବ୍ୟାପକ ସେବା ମଧ୍ୟରୁ ଗୋଟିଏ। ଯେତେ ପ୍ରତିଯୋଗିତା ହେଲେ ମଧ୍ୟ ଏ କ୍ଷେତ୍ରରେ ଭାରତୀୟ ଡାକସେବା ଉପରେ ଲୋକଙ୍କର ଭରସା ରହିଛି। ଆଜି ବି ଆମେ ଲକ୍ଷ ଲକ୍ଷ ଟଙ୍କା ସ୍ପିଡ ପୋଷ୍ଟ ଆର୍ଟିକିଲ ନେବାଆଣିବା କରୁଛୁ। ଏହି ସେବାକୁ ଅଧିକ ସରଳ ଏବଂ ଟ୍ରାକିଂ-ଫ୍ରେଣ୍ଡଲି କରିବା ପାଇଁ ଆମେ ସବୁପ୍ରକାରର ବ୍ୟବସ୍ଥା କରିଛୁ। ଏଇଠି ମୁଁ ଗ୍ରାହକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଚିଠି ପଠାଇଲା ବେଳେ ଉପର ଭାଗରେ ପ୍ରାପକଙ୍କ ନାଁ ଓ ଠିକଣା ଲେଖିବା ସହ ପଠାଇଥିବା ବ୍ୟକ୍ତିଙ୍କ ନାଁ ଓ ଠିକଣା ଚିଠିର ପଛପଟେ ଲେଖିବେ।
ଏହାହେଲେ ଆଜି କମ୍ପ୍ୟୁଟର ମାଧ୍ୟମରେ ଯେଉଁ ଅଟୋମେଟେଡ ସର୍ଟିଂ ହୋଇପାରୁଛି, ସେଥିରୁ ଆମକୁ ଫାଇଦା ମିଳିବ। ସେହିପରି ଚିଠି ପଠାଉଥିବା ବ୍ୟକ୍ତି ତାଙ୍କ ମୋବାଇଲ ନମ୍ବର ଉଲ୍ଲେଖ କରିବେ। ଏହାହେଲେ ଚିଠି ଡେଲିଭରି ହେବା ମାତ୍ରେ ତାଙ୍କ ପାଖକୁ ତତ୍କାଳ ମେସେଜ୍ ଆସିଯିବ। ଆଗଭଳି ଆଉ କାଗଜରେ କାରବାର ନକରି ଏବେ ପୋଷ୍ଟମ୍ୟାନ୍ ଭାଇଭଉଣୀମାନେ ଆପ୍ ମାଧ୍ୟମରେ ପ୍ରାପ୍ତିସ୍ୱୀକାର କରିବାର ବ୍ୟବସ୍ଥା ରହିଛି। ଡିଜିଟାଲ ଟେକ୍ନୋଲଜିର ପ୍ରୟୋଗ ସ୍ପିଡ ପୋଷ୍ଟ ସେବାକୁ ଏକ ନୂଆ ରୂପ ଦେଇଛି। ଆଜି କେବଳ ସ୍ପିଡ ପୋଷ୍ଟ ନୁହେଁ, ରେଜିଷ୍ଟର୍ଡ ଲେଟର ବା ଯେ କୌଣସି ଆକାଉଣ୍ଟେବଲ୍ ଆର୍ଟିକିଲ୍ ଡାକ ବିଭାଗର ୱେବ୍ସାଇଟ୍ରେ ଗ୍ରାହକମାନେ ଟ୍ରାକିଂ କରିପାରିବେ।
ଆପଣ ଡାକସେବା କ୍ଷେତ୍ରରେ ଯେଉଁସବୁ ନୂତନ ବ୍ୟବସ୍ଥା କଥା କହିଲେ, ଏସବୁର ସଫଳତା ପାଇଁ ବଡ଼ ଭୂମିକା ଗ୍ରହଣ କରିବେ ସାରା ରାଜ୍ୟରେ କାମ କରୁଥିବା ପୋଷ୍ଟମ୍ୟାନ ଏବଂ ଅନ୍ୟ କ୍ଷେତ୍ର କର୍ମଚାରୀମାନେ। ସେମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ପାଇଁ ଆପଣ କ’ଣ କରୁଛନ୍ତି?
ଭଲ ପ୍ରଶ୍ନଟିଏ ପଚାରିଲେ। ସେମାନେ ହେଉଛନ୍ତି ଆମ ସେବା କ୍ଷେତ୍ରର ମେରୁଦଣ୍ଡ। ସେମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଦକ୍ଷତା ବଢାଇବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ ମଧ୍ୟରେ ରହିଛି ବିଧିବଦ୍ଧ ଓରିଏଣ୍ଟେସନ୍ ପ୍ରୋଗ୍ରାମ୍। ଜନସାଧାରଣଙ୍କୁ ଅଧିକ ଏବଂ ସଫଳ ଭାବେ ବିଭିନ୍ନ ସେବା ଯୋଗାଇଦେବା କ୍ଷେତ୍ରରେ ନିୟୋଜିତ ଆମର ଏହି ଫିଲ୍ଡ କର୍ମଚାରୀମାନଙ୍କୁ ସହଯୋଗ କରିବାକୁ ମୁଁ ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରୁଛି।
ଡାକ ବିଭାଗର ଅନ୍ୟ ପାରମ୍ପରିକ ସେବା ବିଷୟରେ କ’ଣ କହିବେ?
ଦେଖନ୍ତୁ, ଡାକଘର ସଞ୍ଚୟ ଖାତା ସହ ଡାକଘର ଜୀବନବୀମା ଆଦି ବିଭିନ୍ନ ସେବା ରହିଛି, ଯାହାକି ଲୋକମାନେ ବହୁଳ ସଂଖ୍ୟାରେ ବ୍ୟବହାର କରୁଛନ୍ତି। ସେହିଭଳି ସୁକନ୍ୟା ସମୃଦ୍ଧି ଯୋଜନା ଏକ ନୂଆ ସେବା। ଲୋକମାନେ ନିଜ କନ୍ୟା ସନ୍ତାନ ନାଁରେ ଡାକଘରେ ଖାତା ଖୋଲି ଜମା କରିପାରିବେ। ଏହି ଯୋଜନାରେ ଅଧିକ ସୁଧ ମିଳୁଛି। ତା’ ଛଡା ଆୟକର ନିୟମ ଅନୁଯାୟୀ ଏଥିରେ ନିବେଶ କଲେ ୮୦-ସି ଧାରାରେ ଜଣେ ଆୟକର ରିହାତି ପାଇପାରିବେ। ଝିଅକୁ ୧୮ ବର୍ଷ ହେବା ପରେ ଏହି ଖାତାରୁ ଅର୍ଥଉଠାଣ କରାଯାଇପାରିବ।
ଅଧିକରୁ ଅଧିକ ଜନସାଧାରଣ ଏହି ଯୋଜନାର ସୁଯୋଗ ନେଇ କନ୍ୟାସନ୍ତାନମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଅନୁରୋଧ କରୁଛି। ଆଜି ଜନ୍ମ ହୋଇଥିବା କନ୍ୟାସନ୍ତାନଙ୍କଠାରୁ ଆରମ୍ଭ କରି ଝିଅକୁ ୧୦ ବର୍ଷ ହେବା ଭିତରେ ଏହି ସଞ୍ଚୟ ଯୋଜନା ଆରମ୍ଭ କରିହେବ।
ପୋଷ୍ଟ ଅଫିସ୍ ସେବା କ୍ଷେତ୍ରରେ ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ସଂଯୋଗ କରିବା ପାଇଁ ଆପଣଙ୍କ ବିଭାଗ ଗ୍ରାହକମାନଙ୍କୁ ଅନୁରୋଧ କରୁଛି। ଏଥିରୁ ସେମାନଙ୍କୁ କ’ଣ ସୁବିଧା ମିଳିବ?
ଅନ୍ୟ ବ୍ୟାଙ୍କିଙ୍ଗ ସେବା ପରି ପୋଷ୍ଟ ଅଫିସ୍ରେ ମଧ୍ୟ ଆମେ ମୋବାଇଲ୍ ଓ ଆଧାର ସଂଯୋଗ ଉପରେ ଗୁରୁତ୍ୱ ଦେଉଛୁ। ଏହାଫଳରେ ଡିଜିଟାଲ୍ ସେବା ବ୍ୟବସ୍ଥା ସୁଗମ ହୋଇପାରିବ ଏବଂ ଗ୍ରାହକମାନଙ୍କୁ ମଧ୍ୟ ଟ୍ରାଞ୍ଜାକ୍ସନ ବାବ୍ଦରେ ତତ୍କାଳ ସୂଚନା ମିଳିପାଇପାରିବ।
ପୋଷ୍ଟ ଅଫିସ୍ ସେବା କ୍ଷେତ୍ରରେ କମ୍ପ୍ୟୁଟରୀକରଣ ଏକ ଜରୁରୀ ଆବଶ୍ୟକତା ହୋଇପଡ଼ିଛି। ଓଡ଼ିଶାରେ ଆପଣଙ୍କ ବିଭାଗର ଚିତ୍ର କ’ଣ?
ଡାକସେବାର ସବୁ କ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର, ଡିଜିଟାଲ୍ ଟେକ୍ନୋଲଜି ଏବଂ ମୋବାଇଲ ଆପ୍ ଉପରେ ଆମେ ଗୁରୁତ୍ୱ ଦେଉଛୁ। ତେବେ ଡାକ ବିଭାଗ ଏକ ବ୍ୟାପକ ସେବା କ୍ଷେତ୍ର ହୋଇଥିବାରୁ ଏବଂ ଏହାର ’ଲାଷ୍ଟ ମାଇଲ୍ ସର୍ଭିସ୍’ ଗ୍ରାମାଞ୍ଚଳରେ ରହିଥିବାରୁ ସମ୍ପୂର୍ଣ୍ଣ ଡିଜିଟାଲ୍ ହେବା ପାଇଁ ସମୟ ଲାଗୁଛି। ତେବେ ଓଡ଼ିଶାର ସହରାଞ୍ଚଳ ଛଡ଼ା କଟକ (ଉତ୍ତର), ଭଦ୍ରକ ଏବଂ ଢେଙ୍କାନାଳ ଆଦି ଡାକ ଡିଭିଜନ୍ ଅଞ୍ଚଳରେ ଥିବା ସମସ୍ତ ପୋଷ୍ଟ ଅଫିସ୍ରେ ଏବେ କମ୍ପ୍ୟୁଟର ସଂଯୋଗ ରହିଛି।
ସଂପୃକ୍ତ ଅଞ୍ଚଳର ମୋଟ୍ ୧୨୪୦ଟି ଉପ-ଡାକଘର ମଧ୍ୟରୁ ୧୧୦୦ରୁ ଅଧିକ ଡାକଘରେ କମ୍ପ୍ୟୁଟର ଲାଗିଯାଇଛି। ଏହି କମ୍ପ୍ୟୁଟର ଏକ ହ୍ୟାଣ୍ଡ-ହେଲ୍ଡ୍ ଡିଭାଇସ ଓ ଏହା ମାଧ୍ୟମରେ ବାୟୋମେଟ୍ରିକ୍ ପଦ୍ଧତିରେ ବା କାର୍ଡ ସ୍ୱାଇପ୍ କରି ଟଙ୍କାଉଠାଣ କରାଯାଇପାରିବ। ଏହାର ପ୍ରଚଳନ ଫଳରେ ଆଜି ଆମ ସେବା ଏକ ଚଲତା-ଫିରତା ଏଟିଏମ୍ ଭଳି କାମ କରିପାରୁଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ଆମେ ଏହି ସୁବିଧା ରାଜ୍ୟର ସମସ୍ତ ଉପ-ଡାକଘର ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଏକ ’ଲେସ୍ କ୍ୟାସ୍’ ଦେଶ ଭାବରେ ଗଢିବାକୁ ଡାକରା ଦେଇଛନ୍ତି। ଆପଣଙ୍କ ବିଭାଗ ଏ କ୍ଷେତ୍ରରେ କ’ଣ କରିଛି?
ଆମ ରାଜ୍ୟରେ ୩୫ଟି ମୁଖ୍ୟ ଡାକଘର ରହିଛି। ଏହିସବୁ ସ୍ଥାନରେ ଆମେ ’ପଏଣ୍ଟ ଅଫ୍ ସେଲ୍’ (ପିଓଏସ୍) ଟର୍ମିନାଲ ଯୋଗାଇଦେଉଛୁ। ସେଠାରେ ଗ୍ରାହକମାନେ କ୍ୟାସ୍ଲେସ୍ ଉପାୟରେ କାରବାର କରିପାରିବେ। ଆଗାମୀ ଦିନରେ ଏହାକୁ ବ୍ୟାପକ କରିବା ପାଇଁ ଆମର ଯୋଜନା ରହିଛି।
ଆପଣଙ୍କ ବିଭାଗ ବ୍ୟାଙ୍କ୍ ଭଳି ଏଟିଏମ୍ ବ୍ୟବସ୍ଥା ଆରମ୍ଭ କରିଛି। ଏ କ୍ଷେତ୍ରରେ କେତେ ଦୂର ସଫଳତା ମିଳିଛି?
ବର୍ତ୍ତମାନ ଓଡ଼ିଶାରେ ଆମର ୪୪ଟି ଏଟିଏମ୍ ରହିଛି। ଆଗକୁ ଏହି ସଂଖ୍ୟା ବଢିବ। ଆଗରୁ କେବଳ ପୋଷ୍ଟାଲ୍ ଏଟିଏମ୍ କାର୍ଡ ଏହିସବୁ ମେସିନ୍ରେ ଚାଲୁଥିଲା। କିନ୍ତୁ ଡିସେମ୍ବର ୨୦୧୬ ପରଠାରୁ ଏହାକୁ ବ୍ୟାପକ କରାଯାଇଛି। ଆଜି କୌଣସି ପୋଷ୍ଟାଲ୍ ଏଟିଏମ୍ କାର୍ଡ ରଖିଥିବା ଗ୍ରାହକ ଦେଶର ଅନ୍ୟ ଯେ କୌଣସି ବ୍ୟାଙ୍କ୍ ଏଟିଏମ୍ରୁ ଟଙ୍କା ଉଠାଇପାରିବେ। ସେହିପରି ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ପୋଷ୍ଟାଲ ଏଟିଏମ୍ରୁ ଅନୁରୂପ ସୁବିଧା ପାଇପାରୁଛନ୍ତି।
ଆପଣ ସିପିଏମ୍ଜି ଭାବେ ଯୋଗ ଦେବା ପରେ ଓଡ଼ିଶାର ଡାକମଣ୍ଡଳ କ୍ଷେତ୍ରରେ ଏକ ବ୍ୟାପକ ପ୍ରଶାସନିକ ସଂସ୍କାର ପାଇଁ ଉଦ୍ୟମ କରିଛନ୍ତି। କ’ଣ ରହିଛି ଏହା ପଛର ଲକ୍ଷ୍ୟ?
ଦେଖନ୍ତୁ ଆଜିର ଦିନରେ ଗ୍ରାହକ ସେବା କ୍ଷେତ୍ରରେ ଉନ୍ନତି ଆଣିବାକୁ ହେଲେ ଆମକୁ ପ୍ରଶାସନିକ ବ୍ୟବସ୍ଥାକୁ ସରଳ ଏବଂ ଲୋକାଭିମୁଖୀ କରିବାକୁ ହେବ। ଓଡ଼ିଶାରେ ଆମ ବିଭାଗ ଅଧୀନରେ ୧୮ଟି ମଣ୍ଡଳ ରହିଛି। ତେବେ ଗୋଟିଏ ଗୋଟିଏ ମଣ୍ଡଳ ଅଧୀନରେ ଅଲଗା ଅଲଗା ଜିଲ୍ଲାର ଡାକଘର ରହିଥିବା କାରଣରୁ ଏହାର ପରିଚାଳନା କ୍ଷେତ୍ରରେ କେତେକ ସମସ୍ୟା ବା ଆହ୍ୱାନ ରହିଥିଲା। ତେଣୁ ପରିଚାଳନାଗତ ସୁବିଧା ପାଇଁ ବିଭିନ୍ନ ଜିଲ୍ଲାକୁ ତା’ର ନିକଟତମ ମଣ୍ଡଳ ସହ ଯୋଡ଼ି ଦିଆଯାଇଛି। ଏହାଦ୍ୱାରା ଡାକ କର୍ମଚାରୀମାନଙ୍କର ସୁବିଧା ହୋଇଛି ଏବଂ ଗ୍ରାହକମାନଙ୍କୁ ମଧ୍ୟ ଏହାର ସୁଫଳ ମିଳିବ ବୋଲି ମୋର ଆଶା। ସେହିପରି ଆଗାମୀ ଦିନରେ ରାୟଗଡ଼ା ଏବଂ ରାଉରକେଲାରେ ଆଉ ଦୁଇଟି ମଣ୍ଡଳ ଖୋଲିବାର ଯୋଜନା ରହିଛି।
ପୋଷ୍ଟ ଅଫିସ୍ ମାଧ୍ୟମରେ ଲୋକେ ଆଜି ପାସପୋର୍ଟ ପାଇଁ ଆବେଦନ ପାଇପାରିବେ। କିପରି?
ପାସପୋର୍ଟ ଏକ ଅତି ଗୁରୁତ୍ୱପୂର୍ଣ୍ଣ ସେବା। ଖୁସିର କଥା, ଆମ ରାଜ୍ୟରେ ଏବେ ତିନୋଟି ସ୍ଥାନରେ ପୋଷ୍ଟ ଅଫିସ୍ ମାଧ୍ୟମରେ ଆପଣ ପାସପୋର୍ଟ ପାଇପାରିବେ। ସେଗୁଡ଼ିକ ହେଲା ରାଉରକେଲା, ସମ୍ବଲପୁର ଏବଂ କୋରାପୁଟ। ଜଣେ ବ୍ୟକ୍ତି ଅନ୍ଲାଇନ୍ରେ ଆବେଦନ କରିବା ପରେ ସମ୍ପୃକ୍ତ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ରକୁ ଆସି ଏଥିପାଇଁ ଆବଶ୍ୟକ ବାୟୋମେଟ୍ରିକ୍ସ, ଫଟୋଗ୍ରାଫ ଏବଂ ସାର୍ଟିଫିକେଟ ଯାଞ୍ଚ କାର୍ଯ୍ୟ କରାଇପାରିବେ।
ପରବର୍ତ୍ତୀ ସମୟରେ ଆମେ ତାହା ପାସପୋର୍ଟ କର୍ତ୍ତୃପକ୍ଷଙ୍କ ପାଖକୁ ଅନଲାଇନରେ ପଠାଇଦେଉ ଏବଂ ସେମାନେ ତାହା ଯାଞ୍ଚ କରି ଉପଯୁକ୍ତ ବ୍ୟକ୍ତିଙ୍କ ନାମରେ ପାସପୋର୍ଟ ଇସ୍ୟୁ କରିଥା’ନ୍ତି। ଏହାଫଳରେ ସମସ୍ତଙ୍କୁ ଆଜି ଆଉ ଭୁବନେଶ୍ୱର ପାସପୋର୍ଟ ଅଫିସ ଆସିବାକୁ ପଡୁନାହିଁ। ପୋଷ୍ଟ ଅଫିସ ମାଧ୍ୟମରେ ଏହି ସେବା ସହଜ ହୋଇପାରୁଛି ଓ ଲୋକଙ୍କ ସମୟ ବଞ୍ଚୁଛି। ଆଗାମୀ ଦିନରେ ବାଲେଶ୍ୱର, ଭବାନୀପାଟଣା ଓ ବ୍ରହ୍ମପୁରରେ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ର ଖୋଲିଲେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ପାଇଁ ଏହା ସୁବିଧାଜନକ ହେବ। କେବଳ ସେତିକି ନୁହେଁ, ଭବିଷ୍ୟତରେ ଦେଶର ଯେତେ ସ୍ଥାନରେ ମୁଖ୍ୟ ଡାକଘର ରହିଛି ସେଠାରେ ଏହି ପାସପୋର୍ଟ ସେବା ଆରମ୍ଭ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।
ଆଧାର ପଞ୍ଜୀକରଣ ଏବଂ ଆବଶ୍ୟକସ୍ଥଳେ ସଂଶୋଧନ ପାଇଁ ମଧ୍ୟ ଡାକଘରେ ବ୍ୟବସ୍ଥା କରାଯିବ। ଓଡ଼ିଶାରେ ଏହା କେବେଠାରୁ ଆରମ୍ଭ କରାଯିବ?
ଆଗରୁ କେବଳ ଘରୋଇ ସଂସ୍ଥା ମାଧ୍ୟମରେ ଆଧାର ପଞ୍ଜୀକରଣ ଏବଂ ସଂଶୋଧନ କାମ କରାଯାଉଥିଲା। ତେବେ ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଗାମୀ ଦିନରେ କେବଳ ପୋଷ୍ଟ ଅଫିସ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯିବ। ସେହି ଅନୁଯାୟୀ ଆମ ରାଜ୍ୟର ସମସ୍ତ ୩୫ଟି ମୁଖ୍ୟ ଡାକଘର ଜରିଆରେ ଉଭୟ ପଞ୍ଜୀକରଣ ଏବଂ ସଂଶୋଧନ କାମ ହୋଇପାରିବ।
ତା’ଛଡ଼ା ରାଜ୍ୟର ସମସ୍ତ ୧୧୬୭ଟି ଉପ-ଡାକଘର ସ୍ତରରେ ଲେକମାନେ ଆଧାର ସଂଶୋଧନ ସେବା ପାଇପାରିବେ। ହେଲେ ବର୍ତ୍ତମାନ କେବଳ ଭୁବନେଶ୍ୱର ଜିପିଓରେ ଆଧାର ଅପ୍ଡେସନ କାର୍ଯ୍ୟ କରାଯାଉଛି। ସେହିପରି ସମ୍ବଲପୁର ଏବଂ ବ୍ରହ୍ମପୁର ମୁଖ୍ୟ-ଡାକଘରେ ଏହି ସେବା ତୁରନ୍ତ ଆରମ୍ଭ କରିବାକୁ ବିଭାଗୀଯ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାରା ରାଜ୍ୟରେ ଆଧାରର ପୂର୍ଣ୍ଣାଙ୍ଗ ସେବା ଯୋଗାଇଦେବା ପାଇଁ ଆମକୁ କିଛି ସମୟ ଲାଗିବ।
ଆଜିର ଇ-କମର୍ସ ଯୁଗରେ ଲୋକମାନେ ଅନେକ ଜିନିଷ ଅନଲାଇନରେ କିଣୁଛନ୍ତି ଏବଂ ତା’ ମଧ୍ୟରେ କେତେକ କ୍ଷେତ୍ରରେ କ୍ୟାସ-ଅନ୍-ଡେଲିଭରି ସୁବିଧା ମଧ୍ୟ ପାଉଛନ୍ତି। ଏହି ସେବାକୁ ଡାକ ବିଭାଗ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଗଧାଡ଼ିର ଇ-କମର୍ସ କମ୍ପାନି ଓ ଆପଣଙ୍କ ବିଭାଗ ମଧ୍ୟରେ କୌଣସି ରାଜିନାମା ହୋଇଛି କି?
ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଡାକ ପରିମଣ୍ଡଳ ଏଭଳି କୌଣସି ରାଜିନାମା କରିନାହିଁ। ତେବେ ଆଗାମୀ ଦିନରେ ଏଭଳି ସେବା ଯୋଗାଇଦେବା ପାଇଁ ଆମେ ଚାହିଁବୁ। ଆମେ ଭୁବନେଶ୍ୱରରେ ଏକ ବଡ଼ ଧରଣର ପାର୍ସଲ ୱ୍ୟାରହାଉସ ତିଆରି କରିବାକୁ ଯାଉଛୁ। ଏହା ଏକ ବଡ଼ ଧରଣର ପ୍ରକଳ୍ପ ଓ ଏଥିରେ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାହେଲେ ଏଠାରେ ବହୁ ପରିମାଣର ସାମଗ୍ରୀ ଜମାହୋଇ ରହିପାରିବ। ଫଳରେ ଜଣେ ଗ୍ରାହକ କୌଣସି ଜିନିଷ ପାଇଁ ଅର୍ଡର ଦେଲେ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଯୋଗାଇ ଦିଆଯାଇପାରିବ।
ଡାକ ବିଭାଗ ଜରିଆରେ ଆପଣ ଆଜି ଯେଉଁସବୁ ସେବା ଯୋଗାଇ ଦେଉଛନ୍ତି, ତାହାର ସଫଳତା ପଛରେ ରହିଛି କମ୍ପ୍ୟୁଟର, ଡିଜିଟାଲ୍ ଏବଂ ମୋବାଇଲ ଟେକ୍ନୋଲଜି। ଆଜିର ଏହି ଇ-ଦୁନିଆରେ ଲୋକଙ୍କ ପାଖରେ ସେବା ସମ୍ପର୍କରେ ସୂଚନା ପହଞ୍ଚାଇବା ପାଇଁ ସମ୍ଭବତଃ ସବୁଠାରୁ ବଡ଼ ମାଧ୍ୟମ ହେବ ଡିଜିଟାଲ୍। ତେଣୁ ଡିଜିଟାଲ ଏବଂ ସୋସିଆଲ ମିଡିଆର ପ୍ରୟୋଗ କ୍ଷେତ୍ରରେ ଆଗକୁ ଆପଣଙ୍କର କ’ଣ ଭିଜନ ରହିଛି?
ଦେଖନ୍ତୁ ଡିଜିଟାଲ ହେଉଛି ବର୍ତ୍ତମାନ ଏବଂ ଆମର ଭବିଷ୍ୟତ। ଯଦିଓ ଆମେ ୱେବସାଇଟ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଗ୍ରାହକମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛୁ, ଏ କ୍ଷେତ୍ରରେ ଅନେକ ବାଟ ଯିବାକୁ ଅଛି। ଆଗାମୀ ଦିନରେ ୱେବ୍ ଏବଂ ସୋସିଆଲ ମିଡିଆର କିଭଳି ପୂର୍ଣ୍ଣ ଉପଯୋଗ କରାଯାଇପାରିବ ଏବଂ ଆମେ କିଭଳି ବିଶେଷକରି ଯୁବପିଢି ସହ ଯୋଡ଼ି ହୋଇପାରିବୁ, ସେ ବାବଦରେ ମୋର ସହଯୋଗୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି।
Source : https://odisha.live/